ଶତୟୁଙ୍କ ଜନ୍ମଦିନ ପାଳିଲେ ସ୍ଥାନୀୟ ବାସିନ୍ଦା

ଭୁବନେଶ୍ବର,୧୨/୩- ବୟସ ୧୦୦ ଛୁଇଁଲାଣି। ତଥାପି ଏଯାଏ ସେ ସୁସ୍ଥ ଓ ନିରୋଗ। ବିନା ଚଷମାରେ ଖବରକାଗଜ ଓ ବହି ପଢ଼ୁଛନ୍ତି। ‌ଦୈନନ୍ଦିନ ଜୀବନଶୈଳୀ ବି ଅତି ସ୍ବତନ୍ତ୍ର। ଖାଦ୍ୟ ଓ ସ୍ବାସ୍ଥ୍ୟ ପ୍ରତି ସେ ବେଶ୍ ସଚେତନ। ପ୍ରତିଦିନ ଭୋର୍‌ରେ ଉଠି ନିତ୍ୟକର୍ମ ସାରିନ୍ତି। ଏକପ୍ରକାର ସୁସ୍ଥ ଜୀବନ ବିତାଉଥିବା ଏହି ଶତାୟୁ ହେଉଛନ୍ତି ଶାରୀ ରାଉତ। ବର୍ତ୍ତମାନ ତିନିପୁଅ, ନାତି, ନାତୁଣୀଙ୍କ ଗହଣରେ ତାଙ୍କର ଜୀବନ କଟୁଛି। ପରିବାରର ସବୁଠୁ ବୟୋଜ୍ୟେଷ୍ଠ ସଦସ୍ୟ ଶାରୀଙ୍କ ପ୍ରତି ସମସ୍ତଙ୍କ ଯଥେଷ୍ଟ ସମ୍ମାନ, ‌ସ୍ନେହ ଓ ଶ୍ରଦ୍ଧା ରହିଛି। ସେ ନିଜ ପରିବାର ସଦସ୍ୟଙ୍କ ସମେତ ସ୍ଥାନୀୟବାସୀନ୍ଦାଙ୍କୁ ବି ବେଶ୍ ଭଲପାଆନ୍ତି। ଏଥିପାଇଁ ଆବାଳବୃଦ୍ଧବନିତାଙ୍କ ମହଲରେ ସେ ‘ଶାରୀଅପା’ ଭାବେ ସୁପରିଚିତ। ଧର୍ମ କଥା ଶୁଣିବା ଓ ଠାକୁରଙ୍କ ସମ୍ପର୍କରେ ଆଲୋଚନା କରି ତାଙ୍କ ଜୀବନ ଅତିବାହିତ କରୁଛନ୍ତି। ସୁସ୍ଥ ଜୀବନଶୈଳୀ ଓ ସନ୍ତୁଳିତ ଆହାର ଯୋଗୁ ଆଜିଯାଏ ତାଙ୍କୁ କୌଣସି ରୋଗ ସ୍ପର୍ଶ କରିପାରିନି। ଶତାୟୁ ମହିଳା ଶାରୀ ଦୀର୍ଘାୟୁ ହୁଅନ୍ତୁ ଏହା ହିଁ କାମନା କରି ସ୍ଥାନୀୟ ଲୋକ ତାଙ୍କ ୧୦୦ତମ ଜନ୍ମଦିନ ପାଳନ କରାଯାଇଛି। ବହୁ ମୁରବୀ ସ୍ଥାନୀୟ ଲୋକ ଏଥିରେ ସାମିଲ ହୋଇଛନ୍ତି। ତାଙ୍କ ପୁଅ ପିସି ରାଉତ କୁହନ୍ତି ମା’ ଆମ ପାଇଁ ପ୍ରେରଣା। ତାଙ୍କ ଆଶିର୍ବାଦ ଯୋଗୁଁ ଆମେ ସଫଳ ହୋଇଛୁ।

Related posts

Leave a Comment