ଭୁବନେଶ୍ବର (ମୁଖ୍ୟ ଖବର): ଉତ୍କଳ ସାମ୍ବାଦିକ ସଂଘ ସହବନ୍ଧିତ ଭୁବନେଶ୍ୱର ସାମ୍ବାଦିକ ସଂଘର ସଭାପତି ନିର୍ବାଚନ ପ୍ରକ୍ରିୟା ଉତ୍କଳ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୂର୍ବତନ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ସେ ଏକକ ମନୋନୟନ ପତ୍ର ଦାଖଲ କରିଥିଲେ। ତାଙ୍କ ବିପକ୍ଷରେ ପ୍ରାର୍ଥୀପତ୍ର ଦାଖଲ କରି ନ ଥିବାରୁ ପ୍ରତାପ ପୁନର୍ବାର ନିର୍ଦ୍ବନ୍ଦ୍ବରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହି ଅବସରରେ ଭୁବନେଶ୍ବର ସାମ୍ବାଦିକ ସଂଘ ପକ୍ଷରୁ ଶ୍ରୀ ପ୍ରଧାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର ଶୁଭେଚ୍ଛା ଜଣାଇଛନ୍ତି।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭୂବନେଶ୍ବର ସାମ୍ବାଦିକ ସଂଘର ସଭାପତି ଭାବେ ମୋତେ ପୁନଃ ନିର୍ବାଚିତ କରିଥିବାରୁ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରୁଛି। ସଂଘର କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସମସ୍ତଙ୍କ ପୂର୍ଣ୍ଣ ସହଯୋଗ କାମନା କରୁଛି। ସଂଘ କାର୍ଯ୍ୟ ସମ୍ପାଦନ ବେଳେ ଅନେକ ସମୟରେ ପ୍ରତିକ୍ରିୟାଶୀଳ ହୋଇଛି। ଏହା ଅନେକଙ୍କ ମନରେ ଆଘାତ ଦେଇଥିବାରୁ ମୁଁ ଦୁଃଖିତ। ଆଗାମୀ ଦିନରେ ସମସ୍ତଙ୍କ ସହଯୋଗ କାମନା କରୁଛି। ଆଜିର ନିର୍ବାଚନ ପ୍ରକ୍ରିୟାକୁ ସୁରୁଖୁରୁରେ ପରିଚାଳନା କରିଥିବା ନିର୍ବାଚନ ଅଧିକାରୀ, ପର୍ଯ୍ୟବେକ୍ଷକ ତଥା ରାଜ୍ୟ କାର୍ଯ୍ୟକାରି ସଭାପତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କୁ ସଂଘ ପକ୍ଷରୁ କୃତଜ୍ଞତା ଜ୍ଞାପନ କରିବା ସହ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ମାର୍ଗଦର୍ଶନ ପାଇଁ ଧନ୍ୟବାଦ ଜଣାଉଛି। ଏଥିସହ ରାଜ୍ୟ କୋଷାଧ୍ୟକ୍ଷ ରାଜେନ ଚୌଧୁରୀ, ସଠିକ ସମୟରେ ଖାଦ୍ୟପେୟ ପ୍ରସ୍ତୁତ କରିଥିବା ସାଥୀ ମନୋଜ ପ୍ରଧାନ, ମୋ ପାଇଁ ପ୍ରସ୍ତାବକ ସାଜିଥିବା ବରିଷ୍ଠ ସଦସ୍ୟ ଗଗନ ସ୍ବାଇଁ, ସମର୍ଥକ ହୋଇଥିବା ଜିତେନ୍ଦ୍ର ମହାନ୍ତିଙ୍କୁ ମଧ୍ୟ ଏହି ଅବସରରେ ଧନ୍ୟବାଦ ଜଣାଉଛି। ଏହାବ୍ୟତୀତ ବାରଙ୍ଗ, ବାଲିପାଟଣା, ବାଲିଅନ୍ତାର ସାଥୀ ସଦସ୍ୟ, ନିର୍ବାଚନରେ ସାମିଲ ହୋଇଥିବା ଭୁବନେଶ୍ବରର ସମସ୍ତ ସାଥୀଙ୍କୁ ସେମାନଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଉଛି।