ନୂଆ ଗାଁ ଗ୍ରାମୀଣ ବିକାଶ ମଞ୍ଚ ରାଜ୍ୟସ୍ତରୀୟ ରଜ ମହୋତ୍ସବ

ଭୁବନେଶ୍ୱର,୧୧/୬ : ଓଡ଼ିଶାର ଗଣପର୍ବ ରଜ ଆମ ରାଜ୍ୟର କଳା, ସଂସ୍କୃତି ଓ ପ୍ରକୃତି ସହ ଗଭୀର ସମ୍ପର୍କରେ ଜଡିତ। ଚଳିତବର୍ଷ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପକ୍ଷରୁ ରାଜ୍ୟସ୍ତରୀୟ ରଜ ମହୋତ୍ସବ ପାଳନକୁ ବେଶ୍ ଧୁମ୍‌ଧାମରେ ବ୍ୟାପକ ରୂପେ ଏକ ସ୍ଵତନ୍ତ୍ର ଢଙ୍ଗରେ ପାଳନ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଜୁନ ୧୪ ତାରିଖରୁ ତିନିଦିନ ବ୍ୟାପୀ ଏହି ପର୍ବ ନୂଆଗାଁ ରଜ ମେହାତ୍ସବ ପଡିଆରେ ପାଳନ କରାଯିବ । ଏଥୁରେ ରାଜ୍ୟ ଓ ରାଜ୍ୟ ବାହାରର କଣ୍ଠଶିଳ୍ପୀ, ନୃତ୍ୟଶିଳ୍ପ, ହାସ୍ୟ ଅଭିନେତା ଓ ଅନ୍ୟାନ୍ୟ ପ୍ରତିଭାଧାରୀ ଯୋଗ ଦେଇ ସେମାନଙ୍କର କଳାନୈପୁଣ୍ୟ ପ୍ରଦର୍ଶନ କରିବେ । ସେହିପରି ଖୋର୍ଦ୍ଧାଗଡର ପାଇକ ପୁଅ ସେମାନଙ୍କର ଗରିମାମୟ ବୀରତ୍ଵର ଗାଥାକୁ ମଧ୍ୟ ସୁସଜ୍ଜିତ ଢଙ୍ଗରେ ପ୍ରଦର୍ଶନ କରିବେ। ଆହୁରି ମଧ୍ୟ ରାଜ୍ୟସ୍ତରୀୟ ବଡିବିଲିଂ ଆକର୍ଷଣର ଅନ୍ୟତମ ବିନ୍ଦୁ ରହିବ। କୁନିକୁନି ଶିଶୁମାନଙ୍କ ଦ୍ଵାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ସାଙ୍ଗକୁ ନାରୀ ଶକ୍ତିର ନିଆରା ଝଲକ ମଧ୍ୟ ଏହି ରଜ ମହୋତ୍ସବ ପାଳନର ପ୍ରତ୍ୟେକଟି ଭାଗରେ ପ୍ରତିବିମ୍ବିତ ହେବ। ଓଡ଼ିଶାର କଳାସଂସ୍କୃତି ଅକ୍ଷୁର୍ଣ ରଖିବାକୁ ଅଧିକରୁ ଅଧିକ ଭାବେ ପରିବ୍ୟାପ୍ତ କରିବା ପାଇଁ ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପ୍ରତିବଦ୍ଧ ବୋଲି ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ସମ୍ପାଦକ ଡ଼ ଚିନ୍ମୟା ନନ୍ଦ ବଡଜେନା ସୂଚନା ଦେଇ କହିଛନ୍ତି। ଏଥିରେ ସଭାପତି ବସନ୍ତ କୁମାର ବରାଳ ଓ ସଭ୍ୟା ସଭ୍ୟ ଉପସ୍ଥିତଥିଲେ।

Related posts

Leave a Comment